ଚେନ୍ନାଇ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଭୟଙ୍କର ଦଳାଚକଟା । ଘଟଣାରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଥିବା ସୂଚନା ମିଳିଛି। ପୃଥକ ପୃଥକ ହସ୍ପିଟାଲ୍ରେ ୯୫ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ଗତକାଲି ସାଉଥ ଷ୍ଟାର ବିଜୟଙ୍କ ଟିଭିକେ ରାଲିରେ ଘଟିଥିଲା ବଡ଼ ଅଘଟଣ । ସେପଟେ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି । କରୁର ଯାଇ ମୃତକଙ୍କ ପରିବାରକୁ ଭେଟି ଶାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ, ତାମିଲନାଡୁ ଭେଟ୍ଟ୍ରି କାଝାଗମ (TVK) ନେତା ଥାଲାପତି ବିଜୟ “ଉଙ୍ଗା ବିଜୟ ନା ଭରେଣ” ନାମରେ ସମଗ୍ର ତାମିଲନାଡୁରେ ପ୍ରଚାର ଗସ୍ତରେ ଅଛନ୍ତି । ଗତ ୧୩ ତାରିଖରେ ତ୍ରିଚି ଏବଂ ଆରିଆଲୁର ଜିଲ୍ଲାରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ସେହିପରି ଗତକାଲି ନମକ୍କଲ ଏବଂ କରୁର ଜିଲ୍ଲାରେ ପ୍ରଚାର କରିଥିଲେ ବିଜୟ । ଏଥିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟତ ହୋଇଥିଲେ ହେଁ ଅସମ୍ଭାଳ ଭିଡ଼ ଯୋଗୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଜୟ ଅଧାରୁ ଭାଷଣ ବନ୍ଦ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସହାୟତା ମାଗିଥିଲେ। କିଛି ସମୟ ମଧ୍ୟରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଘଟଣାସ୍ଥଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଡାକ୍ତରଖାନାରେ ଆଖି ବୁଜିଥିଲେ। ଶ୍ଵାସରୁଦ୍ଧ ହୋଇ ଚେତାଶୂନ୍ୟ ହେବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ଚାଲିଥିବାବେଳେ ଅନ୍ୟ ହସ୍ପିଟାଲରୁ ଡାକ୍ତରମାନଙ୍କୁ କରୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. ଷ୍ଟାଲିନ୍ । ହସ୍ପିଟାଲ ଯାଇ ଗୁରୁତରଙ୍କୁ ଭେଟିଛନ୍ତି । ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏମ୍.ଷ୍ଟାଲିନ୍ । ସେହିପରି ରାଲି ସମୟରେ ହୋଇଥିବା ଦଳାଚକଟାକୁ ନେଇ ଅଭିନେତା ବିଜୟଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । “ମୋ ହୃଦୟ ଭାଙ୍ଗି ଯାଇଛି; ମୁଁ ଏକ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଅଛି ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ,” ବିଜୟ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି କହିଛନ୍ତି, “କରୁରରେ ପ୍ରାଣ ହରାଇଥିବା ଆମର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଏବଂ ସହାନୁଭୂତି ପ୍ରକାଶ କରୁଛି । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।”
