ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀସ୍ଥିତ ବିକାଶପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ କରାଯାଇଥିଲା । ଦିନ ଅଢ଼େଇଟା ସମୟରେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତଗଣ ସେମାନଙ୍କର ପରିବାର ଓ ପରିଜନଙ୍କ ସହିତ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତ ବର୍ଷର ଉତ୍ସବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ୟ, ସ୍ବେଚ୍ଛାସେବୀ ଏବଂ ସାଧାରଣ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା।
ମହୋତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ ଆର୍ଯ୍ୟା ହସ୍ପିଟାଲର ଅଧ୍ୟକ୍ଷ ଡଃ ମନିସ୍ ସିଂହ । ଅନ୍ୟମାନଙ୍କ ମଧ୍ଯରେ ନୋଏଡାର ସେକ୍ଟର ୧୨୧ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡ଼ଃ ମନୋରଞ୍ଜନ ମହାନ୍ତି, କଳିଙ୍ଗ ବୀର ସେବା ସଂଘର ସଭାପତି ମନୋଜ ସାହୁ ଓ ଜୀବନଜ୍ବୋତି ଡାକ୍ତର ଖାନାର ମୁଖ୍ୟ ଡାକ୍ତର ବିନାୟକ ପ୍ରସାଦ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ସାମିଲ୍ ହୋଇ ଏହି ଉତ୍ସବ ଆୟୋଜନର ଭୁରି ଭୁରି ପ୍ରଶଂସା କରିଥିଲେ। ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଂଧ୍ୟାର ପ୍ରସ୍ତୁତି ଗୁଡିକ ମଧ୍ୟରେ ସୁର୍ ମହ୍ଲାର ଗୃପ୍ ଦ୍ବାରା ପରିବେଷିତ ଲୋକ ଓ ଲଘୁସଙ୍ଗୀତ ଏବଂ ରବି ମହାକାଳଙ୍କ ଟ୍ରୁପ ଦ୍ବାରା ପ୍ରସ୍ତୁତ ପୌରାଣିକ ନୃତ୍ଯ ଅତ୍ୟନ୍ତ ମନୋରଂଜକ ଥିଲା। ରୁଚିସ୍ମିତାଙ୍କ ଦ୍ୱାରା ମଞ୍ଚସ୍ଥ ଏକକ ଶାସ୍ତ୍ରୀୟ ନୃତ୍ଯ ତଥା ପ୍ରାଚୀ, ବର୍ଷା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ୟ ଖୁବ୍ ଉଚ୍ଚକୋଟୀର ଥିଲା ଏବଂ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା ।
