ଭୁବନେଶ୍ଵର: ଆଜି ମହାଳୟା । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ । ଆଜି ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହୋଇଥିବା ବେଳେ ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତରଦ୍ୱାର ପଟେ ପିଣ୍ଡ ଦାନ ପାଇଁ ବେଶ ଭିଡ ଦେଖିବାକୁ ମିଳିଛି ।
ସେପଟେ ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ । ଏହି ଅବସରରେ ମା ବିରଜାଙ୍କ ପାଖରେ ଇନ୍ଦୁପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ ରହିଛି । ୧୫ ଦିନ ହେବ ଶହ ଶହ ଶ୍ରଦ୍ଧାଳୁ ମା ବିରଜାଙ୍କ ପାଖୁ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ କରିଛନ୍ତି । ଆଜି ଶେଷ ଦିନରେ ମଧ୍ୟ ପିଣ୍ଡଦାନ ପାଇଁ ବହୁ ଲୋକଙ୍କ ଭିଡ଼ ଜମିଛି ।
ସେହିପରି ଆଜିର ଦିନରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଶ୍ରଦ୍ଧାଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ମା’ ସିନ୍ଦୁରମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେଵଳ ଆଜିର ଦିନରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି । ତେବେ ମା’ ଏହି ବେଶରେ ଅଢେଇ ଦିନ ପର୍ଯ୍ୟନ୍ତ ରୁହନ୍ତି । ପିତୃପକ୍ଷର ଅନ୍ତିମ ଦିନ ମହାଳୟା ତିଥିରେ ପିତୃ ପୁରୁଷଙ୍କୁ ଜଳ ଅର୍ପଣ କଲା 0ପରେ ଗଙ୍ଗା ଦର୍ଶନ କରି ଗଙ୍ଗାରେ ବୁଡ଼ ଦେବାର ମାନ୍ୟତା ରହିଛି । ତେବେ ଯେଉଁମାନେ ଗଙ୍ଗାରେ ବୁଡ ପକାଇ ନପାରନ୍ତି, ସେମାନେ ମା’ଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିବା ମାତ୍ରେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।
