କଟକ: କଟକ ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ୍ ଘଟଣାରେ ୨ ୱାର୍ଡର ସସ୍ପେଣ୍ଡ୍ । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ୍ ୱାର୍ଡର ସସ୍ପେଣ୍ଡ୍ ହୋଇଥିବା ନେଇ ସୂଚନା ମିଳିଛି । ଅଲଗା ଅଲଗା ସେଲ୍ରେ ଥିଲେ ଦୁଇ ଅଭିଯୁକ୍ତ । ଆରିରେ ରଡ୍ କାଟି ଜେଲରୁ ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡ଼ି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ୍ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍ ବିଭାଗ ଡିଜିଙ୍କ ନିର୍ଦ୍ଦେଶ ।
ଅନ୍ୟପଟେ ଫେରାର୍ କଏଦୀଙ୍କୁ ଧରାଇ ଦେଲେ ୫୦ ହଜାର ପୁରସ୍କାର ଦେବ ପୋଲିସ । ୨ ଅଭିଯୁକ୍ତ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା କଲା ପୋଲିସ । ଚମ୍ପଟ କଏଦୀଙ୍କ ବାବଦରେ ସୂଚନା ପାଇଁ କମିଶନରେଟ୍ ପୋଲିସର ନିବେଦନ । ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଛନ୍ତି ୨ ହାର୍ଡକୋର୍ କଏଦୀ ରାଜା ଓ ମଧୁକାନ୍ତ ।
ସୂଚନା ଅନୁସାରେ, ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ ଉପରେ ଗୁଳିମାଡ଼ କରି ଲୁଟପାଟ କରିଥିଲେ, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। ଏହି ଲୋମହର୍ଷକ ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଅପରାଧୀଙ୍କୁ କାବୁ କରି ପୋଲିସ ଜିମାକୁ ହସ୍ତାନ୍ତର କରିଥିଲେ। ତେବେ ଏବେ ଜେଲ୍ରୁ ଫେରାର ହେବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
