ଭୁବନେଶ୍ଵର: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ । ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଚାଲିଛି ଯାଞ୍ଚ । ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଲେ କର୍ତ୍ତୃପକ୍ଷ । ସେପଟେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଅଭିଯାନରେ ଭିସି, ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସାମିଲ୍ ହୋଇଛନ୍ତି ।
ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି କାମରେ ନିୟୋଜିତ ହୋଇଛନ୍ତି ୫ ଏସିପି, ୪ ଜଣ ଆଇଆଇସି ଓ ୧୩ ଏଏସ୍ଆଇ । ଜୋନ ୫ ଏସିପି ବିଶ୍ବରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ । ବରିଷ୍ଠ ପୁଲିସ ଅଧିକାରୀ ଅନୁପ କାନୁନଗୋ ସମ୍ପୂର୍ଣ୍ଣ ସୁରକ୍ଷା ଦୟିତ୍ୱକୁ ତୁଲାଉଥିବା ଜଣାଯାଇଛି । ଅନ୍ୟପଟେ ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ‘ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି। ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ। ନାଲି ଆଖି ଦେଖାଇ ଏହା କରିହେବନି, ତେଣୁ ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ। ରାକିଂ ଓ ଗୁଣାତ୍ମକ ମାନ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ। ସମସ୍ତଙ୍କ ସହଯୋଗ ଆବଶ୍ୟକ, ତେଣୁ ଏହି କାମ ନାଲି ଆଖି ଦେଖାଇ କରିହେବନି।’
