ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପ୍ରଭୁଙ୍କ ଆବାହନକୁ ଏବେ ଅପେକ୍ଷାରତ । ଆଉ କିଛି ସମୟ ପରେ ହୋମଯଜ୍ଞରେ ପ୍ରକମ୍ପତି ହେବ ପୂରା ପରିବେଶ ।
ତେବେ ପବିତ୍ର ଗଣେଷ ଚତୁର୍ଥୀରେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ପୂଜା ପାଆନ୍ତି ଗୋବର ଗଣେଷ । ଆଜ୍ଞା ହଁ ଭାରତରେ ବିଭିନ୍ନ ମନ୍ଦିର ଅଛି । ଏହି ମନ୍ଦିରର ଇତିହାସ ମଧ୍ୟ ବହୁତ ପୁରୁଣା । ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗୋବରରେ ତିଆରି ଭଗବାନ ଗଣେଶଙ୍କ ପୂଜା କରାଯାଉଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି । ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି । ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ । ତେବେ ଏହି ମୂର୍ତ୍ତି ୯୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହି ମନ୍ଦିରରେ କେବଳ ନଡ଼ିଆ ହିଁ ଭୋଗ ଲାଗେ ।
ବିଶ୍ୱାସ ରହିଛି ଯେ ଯେଉଁ ଭକ୍ତ ଏଠାରେ ଗଣପତିଙ୍କ ନିକଟରେ ନଡ଼ିଆ ଭୋଗ ଲଗାଇଥାନ୍ତି ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗୋବରରେ ମା’ ଲକ୍ଷ୍ମୀ ସାକ୍ଷାତ ବାସ କରନ୍ତି ବୋଲି କୁହାଯାଏ । ତେଣୁ ଏହି ମନ୍ଦିରକୁ ଆସୁଥିବା ଭକ୍ତଙ୍କ ବିଶ୍ୱାସ ଯେ ଏଠାରେ ଗଣେଶଙ୍କୁ ପୂଜା କଲେ ବିଘ୍ନବିନାଶକଙ୍କ ଆର୍ଶୀବାଦ ମିଳିବା ସହିତ ମା’ ଲକ୍ଷ୍ମୀଙ୍କର କରୁଣା ବି ମିଳିଥାଏ । ଅନ୍ୟପଟେ ମନ୍ଦିରର ଆକୃତି ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ମନ୍ଦିର ବାହାରକୁ ମସ୍ଜିଦ୍ ଭଳି ଦେଖାଯାଏ । କୁହାଯାଏ ଯେ, ଔରଙ୍ଗଜେବ୍ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍ଜିଦ୍ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା । ଯେଉଁଥିପାଇଁ ମନ୍ଦିରର ଆକାର ମନ୍ଦିର ପରି ନହୋଇ ମସଜିଦ ପରି ରହିଛି । ତେବେ ଏହି ମନ୍ଦିରରେ ବିଶେଷ କରି ଗଣେଶ ଉତ୍ସବ ଓ ଦୀପାବଳିରେ ଅଗ୍ରପୂଜ୍ୟଙ୍କ ଦର୍ଶନ ଲାଗି ଭିଡ ଲାଗିଥାଏ ।
