ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଡ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ରଘୁନନ୍ଦନ ପାଠାଗାର ସମ୍ପର୍କରେ ଆମେ ବିସ୍ତୃତ ଆଲୋଚନା କରିଛୁ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ସମ୍ପର୍କରେ ବି ଆଲୋଚନା ହୋଇଛି । ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ନେଇ ବୈଠକରେ ଆଲୋଚନା । ପରିକ୍ରମା ପ୍ରକଳ୍ପର କିଛି କାମ ବାକି ଅଛି, ଅସମ୍ପୂର୍ଣ୍ଣ କାର୍ଯ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ହେବ । ପ୍ରମୋଦ ଉଦ୍ୟାନ ଉନ୍ନତୀକରଣ ଆଲୋଚନା ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ତେବେ ଜଗନ୍ନାଥ ଧାମକୁ ଏକ ଶ୍ରେଷ୍ଠ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅସମ୍ପୂର୍ଣ୍ଣ କାମ ଖୁବଶୀଘ୍ର ଶେଷ ହେବ । ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ, ଶ୍ରୀମାର୍ଗର ଉନ୍ନତିକରଣ ଓବିସିସି ଦ୍ବାରା କରାଯିବ । ଡ଼ିସେମ୍ବର ଶେଷ ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର କାର୍ଯ୍ୟ । ୨୦୨୬ ରଥଯାତ୍ରା ପୂର୍ବରୁ ଅସଂପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯିବ ।
ସେହିପରି ସେବକ ପିଲାଙ୍କ ପାଇଁ ମାଟି ତୋଟାରେ ଆଦର୍ଶ ଗୁରୁକୁଳ ନିର୍ମାଣ ହେବ । ଏନେଇ ଜମିଜମା ବିବାଦର ସମାଧାନ ଜିଲ୍ଲାପାଳ କରିବେ । ଐତିହ୍ୟ ଆଲୋକୀକରଣ ପ୍ରକଳ୍ପକୁ ଅନୁମୋଦନ ମିଳୀଛି । ମେଘନାଦ ପାଚେରୀ ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରକୁ ଆଲୋକୀକରଣ କରାଯିବ । ଶ୍ରୀମନ୍ଦିର ଭିତରେ ଥିବା ସମସ୍ତ ଲୁହା ବ୍ୟାରିକେଡ଼ ବଦଳରେ ପିତ୍ତଳ ବ୍ୟାରିକେଡ଼ ଲାଗିବ । ନିଳାଦ୍ରୀ ଭକ୍ତ ନିବାସ ପଛରେ ଥିବା ସ୍ଥାନରେ ଏକ ନୂଆ ଭକ୍ତ ନିବାସ ସ୍ଥାପନ ହେବ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ବନ୍ଦ ହେବ । ଏହା ବଦଳରେ ପରିବେଶ ଅନୁକୂଳ ବ୍ୟାଗ ବ୍ୟବହାର କରାଯିବ । ଶ୍ରୀମନ୍ଦିର ଭିତରେ ପୋଲିସ , ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କୁ ମୋବାଇଲ ମନା । ନୀତି ସହିତ ସମ୍ପୃକ୍ତ ସେବାୟତ ଗାରଦ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୋବାଇଲ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
