ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । କଳାହାଣ୍ତି ଠୁ ଆରମ୍ଭ କରି କୋରାପୁଟ ଯାକେ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି ନୂଆଁଖାଇ । ମାନ ଅଭିମାନକୁ ଭୁଲି ସ୍ନେହ ଶ୍ରଦ୍ଧାରେ ଆଜି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇବା ସହ ଏହି ପର୍ବକୁ ପାଳନ କରୁଛନ୍ତି । ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବା ପରେ । ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲାଗି କରାଯାଇଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବା ପରେ ପ୍ରତ୍ୟକ ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ ।
ସେପଟେ ଚାଷୀମାନେ ମଧ୍ୟ କ୍ଷେତକୁ ଯାଇ ପୂଜା କରିବାର ପପମ୍ପରା ରହିଛି । ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି। ଗଣପର୍ବ ନୂଆଁଖାଇରେ ‘ଡାଲଖାଇ’ ଗୀତର ଚାହିଦା ବହୁତ ବଢ଼ିଯାଏ । ଏହି ଗୀତର ତାଳେ ତାଳେ ସମସ୍ତେ ପାଦରେ ପାଦ ମିଶାଇ ନାଚିଥାନ୍ତି। ଏହି ଲୋକନୃତ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଜିଲ୍ଲାମାନଙ୍କରେ ବେଶ ପ୍ରସିଦ୍ଧ। ଡାଲଖାଇର ପ୍ରତ୍ୟେକ ପଦର ଆରମ୍ଭ ଓ ଶେଷରେ ଏହି ଶବ୍ଦର ପ୍ରୟୋଗ ହୋଇଥାଏ। ଗୀତରେ ଏହି ଶବ୍ଦକୁ ଜଣେ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ବାରମ୍ବାର କୁହାଯାଇଥାଏ। ଏହି ଗୀତରେ ମୁଖ୍ୟତଃ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ରାମାୟଣ ଓ ମହାଭାରତ ଆଦି ବିଷୟକୁ ନେଇ ନୃତ୍ୟ ପରିବେଷଣ ହୋଇଥାଏ। ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ ।
କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ କୁହାଯାଏ ।
