ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା।
ତେବେ ଚଳିତ ବର୍ଷ ଦୀପାବଳିକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। କେବେ ପାଳିବେ ଦୀପାବଳି। ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖ। ପୁଣି ଏକ ପର୍ବକୁ ନେଇ ଦେଖାଦେଇଛି ଦ୍ବନ୍ଦ। ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି ।
୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି । ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ।
