ଆସାମ୍: ମା’ କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ ପ୍ରସିଦ୍ଧ । ଏହି ମନ୍ଦିର ୫୨ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକଙ୍କର ଗଡ଼ ବୋଲି ବିବେଚନା କରାଯାଏ । ଭାରତ ଆସାମ ରାଜ୍ୟର ଗୌହାଟି ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ ରହିଛି ଭାରତର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିର । ଏଠି ଗର୍ଭଗୃହରେ କୌଣସି ମାନବ ନିର୍ମିତ ମୂର୍ତ୍ତି ନୁହେଁ ବର° ଆଦି କାଳରୁ ପାକୃତିକ ରୂପେରେ ଆକାର ନେଇଥିବା ଶିଳା “ଆଦି ଯୋନୀ” ଆକାରରେ ପୂଜା ପାଏ ।
ଇତିହାସକାରଙ୍କ ମତରେ ଏହା ବହୁ ପୁରାତନ କାଳରୁ ସ୍ଥାନୀୟ ଗାରୋ ଓ ଖାସି ଜନଜାତିଙ୍କ ପାଇଁ ଉପାସନା ଓ ବଳୀର ସ୍ଥାନ ଥିଲା ଏବଂ ଏହି ପିଠର ନାମ ସେହି ଜନଜାତିର ପୂଜ୍ୟ “କା ମୈଖା (ଅର୍ଥାତ ଆଦି ମାତା) ଦେବୀ”ଙ୍କ ନାମରୁ ଆସିଛି । ମ୍ଳେଚ୍ଛ ରାଜବ°ଶର ଶାସନ କାଳରେ କାମାକ୍ଷା ମନ୍ଦିର ପ୍ରଥମେ ‘କାମରୂପା’ ନାମରେ ଲୋକଲୋଚନକୁ ଆସିଥିଲା । ତା’ ପରେ ପାଳ, କୋଚ୍ ଏ ଅହୋମ ରାଜବଂଶର ଶାସନ ସମୟରେ ମଧ୍ୟ କାମାକ୍ଷା କୂଳଦେବୀ ଭାବରେ ପୂଜା ପାଉଥିଲେ । ଆମେ ଦେଖୁଥିବା କାମାକ୍ଷା ମନ୍ଦିର, ଅନ୍ୟ ମନ୍ଦିର ମାନଙ୍କ ପରି ଗୋଟିଏ ସମୟ ଖଣ୍ଡରେ ନିର୍ମିତ ନହୋଇ ୮ମ ରୁ ୧୭ଶ ଶତାବ୍ଦୀ ମଧ୍ୟରେ ବିଭିନ୍ନ ରାଜବଂଶର ରାଜାଙ୍କ ଦ୍ବାରା ନିର୍ମିତ ହୋଇଛି । ଏସବୁ ସମ୍ମିଳୀତ ମନ୍ଦିର ନିର୍ମାଣ ଶୈଳୀକୁ ନୀଳାଚଳ ଶୈଳୀ କୁହାଯାଏ । କାମାକ୍ଷା ହେଉଛି ଏକ ତନ୍ତ୍ରପୀଠ, ଏଠି କୁଳାଚାର ତନ୍ତ୍ର ମାର୍ଗରେ ଉପାସନା ହୁଏ ।
ଇତିହାସକାରଙ୍କ ଅନୁସାରେ ଆଦିମାତାଙ୍କ ଉପାସନା ଏହି ସ୍ଥାନରେ ତିନୋଟି ପର୍ଯ୍ୟାୟରେ ବିକଶିତ ହୋଇଛି, ମ୍ଳେଚ୍ଛ ସମୟରେ ଯୋନୀ, ପାଳ ସମୟରେ ଯୋଗିନୀ ଏବଂ କୋଚ ସମୟରେ ମହାବିଦ୍ୟା। ମନ୍ଦିର ପରିସର ମଧ୍ୟରେ ମୂଖ୍ୟ ମନ୍ଦିକୁ ବେଢି ଛୋଟ ଛୋଟ ମନ୍ଦିର ରହିଛି ଯାହା ଦେବୀଙ୍କର ସାତଟି ମହାବିଦ୍ୟା ରୂପ ଯଥା କାଳୀ, ତାରା, ଭୂବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୁମାବତୀ ଓ ବଗଳାମୂଖୀ ପାଇଁ ଉଦ୍ଦିଷ୍ଟ। ତ୍ରିପୁରା ସୁନ୍ଦରୀ, ମାତଙ୍ଗୀ ଓ କମଳାଙ୍କ ଆସ୍ଥାନ ମୂଖ୍ୟ ମନ୍ଦିର ଭିତରେ ରହିଛି। ଏହି ଶକ୍ତିପିଠର କାଳଭୈରଭଙ୍କ ନାଁ ଉମାନନ୍ଦ କାଳଭୈରଭ, ଯାହାଙ୍କ ମନ୍ଦିର କାମାକ୍ଷା ମନ୍ଦିରଠୁ ଅଳ୍ପ ଦୂର, ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ। ମା’ କାମାକ୍ଷାଙ୍କର ଗୋଟିଏ ମୂଖ୍ୟ ପର୍ବ ହେଉଛି “ଅମ୍ବୁବାଚି (ଆକ୍ଷରିକ ଅର୍ଥ, ଜଳ ସହ ବାର୍ତ୍ତାଳାପ)”। ଏହି ପର୍ବ ପ୍ରତି ବର୍ଷ ଜୁନ୍ ମାସର ୨୦ରୁ ୨୬ ଭିତରେ ତିନିଦିନ ପାଇଁ ପାଳନ କରାଯାଏ।
ଏହି ଉତ୍ସବର ମହତ୍ତ୍ଵ ହେଉଛି, ଏହି ତିନିଦିନ ମା’ କାମାକ୍ଷାଙ୍କର ଋତୁସ୍ରାବ ହୁଏ ବୋଲି ବିଶ୍ବାସ କରାଯାଏ। ରଜସ୍ଵଳା ହେବାର ଅର୍ଥ ଏହା ଫର୍ଟିଲିଟିର ଚିହ୍ନ। ଏହି ମାସରେ ବର୍ଷାର ମଧ୍ୟ ଆଗମନ ହୁଏ, ଯାହା କୃଷି ପାଇଁ ମହତ୍ତ୍ୱପୂର୍ଣ୍ଣ। ଏହି ତିନିଦିନ ମା’ଙ୍କ ମନ୍ଦିର ଦ୍ବାର ବନ୍ଦ ରହିବା ସହ କୌଣସି ପୂଜାର୍ଚ୍ଚନା କିମ୍ବା ଉପଚାର ହୁଏ ନାହିଁ, କୃଷିକାର୍ଯ୍ୟ ମଧ୍ୟ ବନ୍ଦ ରୁହେ। ଏହି ସମୟରେ ବ୍ରହ୍ମପୁତ୍ର ନଦୀର ଜଳ ମଧ୍ୟ ରକ୍ତବର୍ଣ୍ଣ ଦିଶେ। ଯଦିଓ ନୀଳାଚଳ ପର୍ବତ ଓ ତାର ଆଖପାଖ ଅଞ୍ଚଳର ମାଟିରେ ଲୌହ କଣିକା ଅଧିକ ରହିବା କାରଣରୁ ଏବଂ ନୀଳାଚଳ ପର୍ବତ ମାଟିରେ ସିନାବାର୍ ଗଚ୍ଛିତ ରହିଥିବାରୁ ଏଥିରୁ ଧୋଇ ହୋଇ ଆସୁଥିବା ବର୍ଷାପାଣି ବ୍ରହ୍ମପୁତ୍ରରେ ମିଶିଲା ପରେ ଲାଲ୍ ଦିଶେ ବୋଲି ବୈଜ୍ଞାନିକ ମତ ପୋଷଣ କରା ଯାଏ କିନ୍ତୁ ବର୍ଷର ଅନ୍ୟ ସମୟରେ କାହିଁକି ବର୍ଷା ହେଲେ ବ୍ରହ୍ମପୁତ୍ରର ପାଣି ଲାଲ୍ ଦିଶେନି, ଏ ପ୍ରଶ୍ନ ଦୈବୀଶକ୍ତି ଉପରେ ଲୋକଙ୍କ ବିଶ୍ୱାସ ପ୍ରଗାଢ କରେ। ଏହା ‘କୁଳାଚାର ତନ୍ତ୍ର ମାର୍ଗ’ର ସାଧନା କ୍ଷେତ୍ର ଅଟେ।
