ଭୁବନେଶ୍ଵର: ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶରେ ଭୋର ସମୟରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆମ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ନବରାତ୍ରୀ ଏକ ବଡ଼ ପର୍ବ ଓ ଏହା ନଅ ରାତି ଏବଂ ଦଶ ଦିନ ଧରି ପ୍ରତିବର୍ଷ ପାଳନ କରାଯାଇଥାଏ । ଆପଣ ମଧ୍ୟ ନବରାତ୍ରୀ ପାଳନ କରିପାରିବେ । ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳକୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା । ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ । ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ । ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହିଦିନଠାରୁ ସେ ଦୁର୍ଗ ନାଶକାରି ମା ଦୁର୍ଗା ଭାବେ ପୂଜିତ ହେଲେ । ମାଙ୍କୁ ବିଭିନ୍ନ ନାମରେ ପୂଜା କରାଯାଇଥାଏ । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ ।
ମା’ ଶୈଳପୁତ୍ରୀ
ମା’ ଦୁର୍ଗାଙ୍କର ଏହି ନଅ ରୂପର ପ୍ରଥମ ରୂପ ‘ଶୈଳପୁତ୍ରୀ’। ସେ ପ୍ରଥମ ଦିନର ଉପାସ୍ୟା । ସେ ବୃଷଭ ବାହନା । ତାଙ୍କର ଦୁଇ ହସ୍ତ ମଧ୍ୟରୁ ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମପୁଷ୍ପ ଶୋଭିତ । ପୁରାଣ-ପ୍ରସଙ୍ଗ ଅନୁସାରେ ପୂର୍ବ ଜନ୍ମରେ ସେ ଥିଲେ ଦକ୍ଷକନ୍ୟା ‘ସତୀ’ । ତାଙ୍କର ବିବାହ ହୋଇଥିଲା ଶିବଙ୍କ ସହିତ । କିନ୍ତୁ ଦକ୍ଷଙ୍କ ଯଜ୍ଞରେ ଶିବଙ୍କର ଅପମାନ ଯୋଗୁଁ ସେ ସେହି ଯଜ୍ଞରେ ଆତ୍ମବିସର୍ଜନ କରିଥିଲେ । ସେଥିରେ କ୍ଷୁବ୍ଧ ହୋଇ ଶିବ ଦକ୍ଷ ଯଜ୍ଞ ଧ୍ବଂସ କରିଥିଲେ । ସେହି ସତୀ ପରଜନ୍ମରେ ଶୈଳରାଜ ହିମାଳୟଙ୍କ ପୁତ୍ରୀ ରୂପେ ଜାତ ହୋଇଥିଲେ । ତେଣୁ ତାଙ୍କର ନାମ ‘ଶୈଳପୁତ୍ରୀ’ । ତାଙ୍କର ଅନ୍ୟ ନାମ ପାର୍ବତୀ ଓ ହୈମବତୀ । ପର ଜନ୍ମରେ ମଧ୍ୟ ସେ ହୋଇଥିଲେ ଶିବପତ୍ନୀ । ପ୍ରଥମ ଦୁର୍ଗା ରୂପେ ତାଙ୍କର ଶକ୍ତି ଅନନ୍ତ । ଏହି ପୂଜାରେ ଯୋଗୀ ନିଜର ମନକୁ ମୂଳାଧାର ଚକ୍ରରେ ସ୍ଥିତ କରନ୍ତି ଏବଂ ସେହିଠାରୁ ତାଙ୍କର ଯୋଗସାଧନାର ଅୟମାରମ୍ଭ ହୁଏ ।
କେମିତି କରିବେ ମା’ଙ୍କ ପୂଜା ?
ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ । ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ନବରାତ୍ରିରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ ସଙ୍କଟ, ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୁଏ। ତେଣୁ ଏକ ପାନ ପତ୍ରରେ ଲବଙ୍ଗ ଏବଂ ମିଶିରି ରଖି ମା’ ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।
