ଭୁବନେଶ୍ଵର: ନଡ଼ିଆ..ଅଳ୍ପ ବହୁତେ ସମସ୍ତେ ସେବନ କରିଥିବେ। କିଛି ଜଣଙ୍କୁ ପଇଡ ପାଣି ପିଇବାକୁ ଭଲ ଲାଗୁଥିବା ବେଳେ ଆଉ କିଛି ଜଣଙ୍କୁ ନଡିଆ ଖାଇବା ପସନ୍ଦ ରହିଥାଏ। ଭାରତ ସମେତ ପ୍ରଶାନ୍ତ ମହାସାଗରର ବିଭିନ୍ନ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖକୁ ବିଶ୍ୱ ନଡ଼ିଆ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ପ୍ରଥମେ ୨୦୦୯ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ । ତେବେ ନଡିଆ ସହିତ ଏହାର ପାଣି ବା ପଇଡ ପାଣି ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ। ଅନ୍ୟପଟେ ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।
ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ବ ଯଥେଷ୍ଟ ଅଧିକ। ନିତିଦିନିଆ ଜୀବନଶୈଳୀଠାରୁ ଆରମ୍ଭ କରି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆ ଲୋଡ଼ା ହୋଇଥାଏ। ବିଶେଷକରି ଆମ ଓଡ଼ିଆ ଘରେ ନଡ଼ିଆରେ ପୁର ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ। ନଡ଼ିଆ ଫଳମାନଙ୍କ ଭିତରେ ଶ୍ରେଷ୍ଠଭାବେ ପରିଗଣିତ ହେଉଥିବାରୁ ଏହାର ଅନ୍ୟନାମ ଶ୍ରୀଫଳ। ସବୁଦେବାଦେବୀଙ୍କୁ ଆବାହନ କରିବାବେଳେ ନଡ଼ିଆର ଆବଶ୍ୟକତା ପଡ଼ିଥାଏ । ପ୍ରତ୍ୟେକ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିବାବେଳେ ନଡ଼ିଆ ଭୋଗ ଲଗାଯାଇଥାଏ । କୌଣସି ଶୁଭକାର୍ଯ୍ୟର ପ୍ରାରମ୍ଭ କଲେ ପ୍ରଥମେ ନଡ଼ିଆ ଭଙ୍ଗାଯାଏ । ଭାରତରେ ମନ୍ଦିରରେ ପ୍ରମୁଖ ଦାନ ଭାବରେ ନଡ଼ିଆକୁ ଗ୍ରହଣ କରାଯାଏ । ବିବାହ, ବ୍ରତୋପନୟନ, ପର୍ବପର୍ବାଣି, ନୂତନ ଯାନବାହନ କ୍ରୟବେଳେ ମଧ୍ୟ ଭଗବାନଙ୍କ ପାଖରେ ଶ୍ରୀଫଳ ସମର୍ପଣ କରାଯାଏ । ଯଜ୍ଞବେଳେ କୁଣ୍ଡରେ ନଡ଼ିଆ ପକାଇବାର ବିଧି ମଧ୍ୟ ରହିଛି। ସମସ୍ତ କର୍ମ ତଥା ଆରାଧନାରେ ନଡ଼ିଆ ସ୍ଥାନ ସର୍ବାେଗ୍ର ରହିଥାଏ । ସମୂଦ୍ରକୂଳିଆ ଲୁଣିଆ ଅଞ୍ଚଳ ନଡ଼ିଆ ଚାଷ ପାଇଁ ଭଲ ହୋଇଥାଏ ।
ନଡ଼ିଆରେ ମାଙ୍ଗାନିଜ୍ ୫୨.୧୭ ପ୍ରତିଶତ, କପର୍ ୩୮.୬୭ ପ୍ରତିଶତ, ଆଇରନ୍ ୨୪.୨୦ ପ୍ରତିଶତ, ଫାଇବର୍ ୧୮.୮୦ ପ୍ରତିଶତ, ଜିଙ୍କ୍ ୮ ପ୍ରତିଶତ, କାର୍ବୋହାଇଡ୍ରେଟ୍ ୯.୩୭ ପ୍ରତିଶତ ରହିଛି। ନଡ଼ିଆରେ ଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଚେହେରାର ଚମକକୁ ବଢେଇଥାଏ । ସପ୍ତାହରେ ପାଞ୍ଚ ଦିନ ନଡ଼ିଆ ପାଣି ପିଇଲେ ଚେହେରାର ଚମକ ଏକ ମାସ ମଧ୍ୟରେ ଦେଖାଯିବା ଆରମ୍ଭ ହେବ । ଯେତେବେଳେ ଶରୀରରେ ଜଳର ଅଭାବ ଥାଏ, ସେତେବେଳେ ନଡ଼ିଆ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ନଡ଼ିଆ ପାଣି ଶରୀରରେ ଜଳର ଅଭାବକୁ ଶୀଘ୍ର ପୂରଣ କରେ । ଏହାକୁ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜ୍ର ସ୍ତର ସ୍ୱାଭାବିକ ହୋଇଯାଏ, ଯେଉଁଥିପାଇଁ ଶରୀର ହାଇଡ୍ରେଟ୍ ରହିଥାଏ । ହଜମ ମଧ୍ୟ ଭଲ ହୁଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ନଡିଆ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ପାଣିରେ ଥିବା ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଖାଇବା ପୂର୍ବରୁ ନଡିଆ ପାଣି ପିଇବା ଦ୍ୱାରା ଏହା ଓଜନ କମେଇବାରେ ସାହାଯ୍ୟ କରେ। ଏକ ମାସ ମଧ୍ୟରେ ଫଳାଫଳ ମିଳିଯାଏ । ନଡିଆ ପାଣିରେ ଥିବା ସାଇଟୋକିନାନ୍ କୋଷିକା ଶରୀରକୁ ସବୁଦିନ ପାଇଁ ଯୁବସୁଲଭ ରଖେ । ଏହା ସହିତ ମୁହଁରେ ଆସୁଥିବା କୁଞ୍ଚ ଏବଂ ସରୁ ଗାର ହେବାକୁ ଦିଏ ନାହିଁ ।
