କଟକ: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ । ୨୦୧୫ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଟପିବାରୁ ବିବାଦ ହୋଇଥିଲା । ୨୦୧୫ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ୍ କରି ମାମଲା ହାଇକୋର୍ଟକୁ ଆସିଥିଲା ।
ସଂରକ୍ଷଣ ନିୟମ ଉଲ୍ଲଂଘନ କରି ନବ ଗଠିତ ସମ୍ବଲପୁର ପୌର ନିଗମ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ୱାର୍ଡ ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ୬ ସପ୍ତାହ ଭିତରେ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଅଜୟ କୁମାର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲର ଶଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୩, ସେପ୍ଟେମ୍ବର ୧୫ରେ ସମ୍ବଲପୁର ପୌର ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ହୀରାକୁଦ ଏନଏସି, ବୁର୍ଲା ଏନଏସି ଓ ୧୨ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥିଲା ସମ୍ବଲପୁର ମହାନଗର ନିଗମ। ଆଶା ଥିଲା ଜନପ୍ରତିନିଧି ଆସିବେ ଆଉ ଲୋକଙ୍କ ସମସ୍ୟାର ସମାଧାନ ହେବ। ସମ୍ବଲପୁର ପୌରାଞ୍ଚଳର ବାସିନ୍ଦା ମୌଳିକ ସୁବିଧା ପାଇବେ। କିନ୍ତୁ ପୌର ନିଗମର ନବ ଗଠିତ ୱାର୍ଡ ଗୁଡ଼ିକକୁ ନେଇ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ଆଇନଗତ ବିବାଦ ଭିତରେ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା।
