ସମ୍ବଲପୁର : ଧନୁପାଲିର ମହାବୀର ପଡ଼ାର ମାଟି ପାଣି ପବନରେ ବଡ଼ ହୋଇ ଅନନ୍ୟ ସ୍ୱରର ଅଧିକାରିଣୀ ଅଦ୍ଵୈତା ମିଶ୍ରଙ୍କ ପ୍ରତିଭା ଅପରିଣତ ବୟସକୁ ଅତିକ୍ରମ କରୁଥିବା ଗଭୀର ଅନୁଭୂତିର ଏକ ନିଚ୍ଛକ ସ୍ଵନ। ଭାବ ଓ ଲୟ ଯେତେବେଳେ ଏକାତ୍ମ ହୋଇ ଯେତେବେଳେ ତାଙ୍କ ସ୍ୱରରେ ପ୍ରବାହିତ ହୁଏ, ସେହି ସ୍ୱର ଶ୍ରୋତାଙ୍କ ମନକୁ ଗଭୀରଭାବେ ସ୍ପର୍ଶ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମୃତିରେ ରହିଯାଏ। ସମ୍ବଲପୁର ମାଟିର କଳା ସଂସ୍କୃତି ଓ ପାରମ୍ପରିକତାରେ ସମୃଦ୍ଧ ସମ୍ବଲପୁର ମାଟି ତାଙ୍କର ଏହି ସାଧନାକୁ ସଫଳତାର ସ୍ପର୍ଶ ଦେଇ ପରିପୁଷ୍ଟ କରିଛି । ସ୍ୱାଭାବିକ ରୁଚିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, ଶୈଶବରୁ ସଙ୍ଗୀତ ପ୍ରତି ତାଙ୍କର ଆକର୍ଷଣ ସ୍ପଷ୍ଟ ହୋଇଥିଲା ଏବଂ ସେହି ଆଗ୍ରହ ଦିନକୁ ଦିନ ତାଙ୍କ ଜୀବନର ଏକ ଅଭିନ୍ନ ଅଂଶ ହୋଇଯାଇଛି।
ଦୂରଦର୍ଶନରେ ପ୍ରସାରିତ ଆମରି ଗୀତ ଆମରି ସ୍ୱର ସିଜନ୍–୪ (ଜୁନିୟର) ପ୍ରତିଯୋଗିତାର ପ୍ରତ୍ୟେକ ପଦକ୍ଷେପରେ ସେ ନିଜର ଆତ୍ମବିଶ୍ୱାସ ଓ ଭାବପ୍ରବଣ ଗାୟନରେ ଦର୍ଶକ ଓ ବିଚାରକମାନଙ୍କୁ ଆକୃଷ୍ଟ କରିଥିଲେ। କ୍ୱାର୍ଟର ଫାଇନାଲରୁ ଆରମ୍ଭ କରି ସେମିଫାଇନାଲ ଓ ଶେଷରେ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରି ତାଙ୍କର ପରିପକ୍ୱତା ଓ ସ୍ୱର ଉପରେ ନିୟନ୍ତ୍ରଣର ପ୍ରଭାବକୁ ସ୍ପଷ୍ଟ କରିଥିଲେ। ତାଙ୍କ ସଙ୍ଗୀତ ଯାତ୍ରା ଏବେ ଆରମ୍ଭ ହୋଇଥିଲେ ମଧ୍ୟ,ମଞ୍ଚ ସୀମାକୁ ଅତିକ୍ରମ କରି ସେ ସାମାଜିକ ମାଧ୍ୟମରେ ମଧ୍ୟ ଅଦ୍ଵୈତା ନିଜ ପରିଚୟକୁ ଗଢ଼ି ତୋଳୁଛନ୍ତି। ନିଷ୍ଠା, ପ୍ରୟାସ ଓ ପରିବାରର ସମର୍ଥନ ସହିତ ସେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଦିଗରେ ଅଗ୍ରସର ହେଉଛନ୍ତି।ଏହା ଆଗାମୀ ଦିନରେ ସଫଳତାର ଶୀର୍ଷକୁ ସ୍ପର୍ଶ କରିବ, ଏଥିରେ ସନ୍ଦେହ ନାହିଁ ।
